ସିଜୋଫ୍ରେନିଆ

ସିଜୋଫ୍ରେନିଆ କ’ଣ ?
‘ସିଜୋଫ୍ରେନିଆ’ ଏକ ବୈଜ୍ଞାନିକ ଶବ୍ଦ ହେଲେ ମଧ୍ୟ ସାଧାରଣ ଭାବରେ ଏହା ମନୁଷ୍ୟର ପାଗଳାମି, ଉନ୍ମାଦତା ବା ବାତୁଳତା ଅବସ୍ଥାକୁ ବୁଝାଏ । ଅନ୍ୟ ପକ୍ଷରେ ଲୋକମାନେ ଏହା ବିଷୟରେ ଯାହା ଭାବନ୍ତି ଏହା ତାହା ନୁହେଁ । ସିଜୋଫ୍ରେନିଆ ମନୁଷ୍ୟର ବିଭ୍ରମ ବ୍ୟକ୍ତିତ୍ୱ ବା ବିକୃତ ବ୍ୟକ୍ତିତ୍ୱ ନୁହେଁ । ଏହା ଏକ ସାଂଘାତିକ ଓ ଜଟିଳ ମାନସିକ ରୋଗ । ଏ ପ୍ରକାର ରୋଗୀମାନେ ଠିକ୍ କଥା ଭାବିବା, ଅନୁଭବ କରିବା ଓ କାର୍ଯ୍ୟ କରିବା ଶକ୍ତି ହରାଇଥାନ୍ତି ଓ ସ୍ୱାଭାବିକ ବ୍ୟବହାର କରନ୍ତି ନାହିଁ । ଏମାନେ ବାସ୍ତବତାକୁ ବିକୃତ ଭାବରେ ଅନୁଭବ କରୁଥିବାର ବର୍ଣ୍ଣନା କରନ୍ତି ନାହିଁ, କିନ୍ତୁ ଏମାନେ ମାନସିକ ରୋଗଗ୍ରସ୍ତ ବୋଲି ବୁଝିପାରନ୍ତି ନାହିଁ । ରୋଗୀ ଭ୍ରମଧାରଣା ଉପରେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଓ ସେହି ଅନୁସାରେ କାର୍ଯ୍ୟ କରିବାକୁ ଆରମ୍ଭ କରନ୍ତି । ଫଳରେ ଏହି ଦୋଷପୂର୍ଣ୍ଣ ଭାବନା ଓ ଅନୁଭବ ଏମାନଙ୍କ ବ୍ୟବହାରକୁ ଅସ୍ୱାଭାବିକ କରିଦିଏ ।
ବର୍ତ୍ତମାନ ଆମ ଦେଶରେ ଶତକଡ଼ା ୧ ଭାଗ ଲୋକ ଏହି ସିଜୋଫ୍ରେନିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହା ମନୁଷ୍ୟ ଜୀବନର ସବୁଠାରୁ ମୂଲ୍ୟବାନ୍ ସମୟ (୧୫ରୁ ୪୫ ବର୍ଷ ମଧ୍ୟରେ) ତଥା, ସ୍ତ୍ରୀ ପୁରୁଷ ଓ ଧନୀ ଦରିଦ୍ର ନିର୍ବିଶେଷରେ ଆରମ୍ଭ ହୋଇଥାଏ ।
କିପରି ହୁଏ ?
ଗବେଷଣାରୁ ଯାହା ଜଣାପଡ଼ିଛି ଏହା ଜୈବମନସ୍ତାତ୍ତ୍ୱିକ ଓ ସାମାଜିକ ଦୁର୍ବଳତାର ସମ୍ମିଶ୍ରଣରୁ ଆରମ୍ଭ ହୁଏ ।
(୧) ଜୈବ ଉତ୍ପତ୍ତି ସମ୍ବନ୍ଧୀୟ
ଗବେଷଣାରୁ ଜଣାପଡ଼େ ଯେ ମସ୍ତିଷ୍କରେ ଜୀବରାସାୟନିକ ପ୍ରଣାଳୀର ଅସମତା ଏ ରୋଗ ହେବାରେ ସାହାଯ୍ୟ କରେ ।
(୨) ବଂଶଗତ କାରଣ :
ସିଜୋଫ୍ରେନିଆ ହେବାର କେତେକ ବଂଶଗତ କାରଣ ରହିଛି ବୋଲି ନିଶ୍ଚିତ ଭାବରେ ଜଣାପଡ଼ିଛି । ଅନେକ ସମୟରେ ଏହି ରୋଗ ବଂଶାନୁଗତିକ ଭାବେ ହୋଇଥାଏ । ବଂଶର ଇତିହାସରୁ ଜଣାପଡ଼େ ଯେ ଯେଉଁ ପରିବାରରେ ପୂର୍ବରୁ ଏ ରୋଗ ଥାଏ ସେହି ପରିବାରର ଲୋକମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଏ ରୋଗ ବେଶି ହୋଇଥାଏ । ଉଦାହରଣସ୍ୱରୂପ ସିଜୋଫ୍ରେନିଆ ହୋଇଥିବା ପିତାମାତାଙ୍କ ପିଲାମାନଙ୍କୁ ଏ ରୋଗ ଶତକଡ଼ା ଦଶଭାଗ ହେବା ସ୍ଥଳେ ସାଧାରଣ ପରିବାରର ପିଲାମାନଙ୍କୁ ଶତକଡ଼ା ଏକଭାଗ ହେବାର ସମ୍ଭାବନା ଥାଏ । ଅଧିକାଂଶ ଗବେଷକମାନଙ୍କ ମତରେ ସିଜୋଫ୍ରେନିଆ ହୋଇଥିବା ପରିବାରର ରକ୍ତ ସମ୍ପର୍କୀୟମାନେ ଏହି ରୋଗଦ୍ୱାରା ସହଜରେ ଆକ୍ରମିତ ହୋଇଥାଆନ୍ତି ।
(୩) ମାନସିକ ଓ ସାମାଜିକ ସମ୍ବନ୍ଧୀୟ :
ସାଧାରଣ ଭାବରେ କହିବାକୁ ଗଲେ ବଂଶାନୁଗତିକ ଭାବରେ ହେଉଥିବା ସିଜୋଫ୍ରେନିଆ ରୋଗୀମାନଙ୍କ ମଧ୍ୟରେ ଯେଉଁମାନେ ଜଟିଳ ଓ ଚାପପୂର୍ଣ୍ଣ ପରିବେଶରେ ରହନ୍ତି ସେମାନଙ୍କୁ ଏ ରୋଗ ହେବାର ଅଧିକ ସମ୍ଭାବନା ଥାଏ । ଜୀବନରେ ହଠାତ୍ କୌଣସି ଅସାଧାରଣ ଘଟଣାର ପ୍ରଭାବ ବା ଆଘାତରେ ଏ ରୋଗ ଆରମ୍ଭ ହୋଇଥାଏ । ଅନ୍ତରଙ୍ଗ ଆତ୍ମୀୟର ମୃତ୍ୟୁ, ଉଚ୍ଚ ଅଭିଳାଷ ପ୍ରାପ୍ତିରେ ଅସଫଳ ହେବା, ନୈରାଶ୍ୟ ବା ଆଶା ପରିତ୍ୟାଗ କରିବା ପ୍ରଭୃତିର ପ୍ରଭାବ ମନୁଷ୍ୟକୁ ଏ ରୋଗ ଆଡ଼କୁ ଟାଣିନେଇଥାଏ ।
ମସ୍ତିଷ୍କରେ ଜୈବ ରାସାୟନିକ ରସର ଅନିୟମିତତା, ବାହ୍ୟଚାପ, ପରିବାର ଏବଂ ସମାଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଇତ୍ୟାଦି ଯଦି ଖୁବ୍ ଅଧିକ ହୁଏ, ତେବେ ସିଜୋଫ୍ରେନିଆ ରୋଗ ସହଜରେ ହୋଇଥାଏ ।